କିଛି ଦିନ ଧରି ନିୟମିତ ଭାବରେ ବିଭିନ୍ନ ଗଣମାଧ୍ୟମରେ ଅନ୍‌ଲାଇନ୍ ବା ଡିଜିଟାଲ ପେମେଣ୍ଟ ଦ୍ଵାରା ଅନେକ ଲୋକ ଠକାମୀର ଶିକାର ହେଉଥିବା ଖବର ଦେଖିବାକୁ ମିଳୁଛି । ଯଦି ତଥ୍ୟକୁ ଦେଖାଯାଏ ତେବେ ନିକଟରେ ସମଗ୍ର ବିଶ୍ୱରେ ଡିଜିଟାଲ ପେମେଣ୍ଟ ଫ୍ରଡ ବା ଠକେଇ ମାମଲାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି । କେବଳ ଭାରତରେ ଡିଜିଟାଲ ପେମେଣ୍ଟ ଠକେଇ ସଂଖ୍ୟା ୨୦୨୨ ଆର୍ଥିକ ବର୍ଷରେ ୩,୫୯୬ ଥିବା ବେଳେ ୨୦୨୩ରେ ଏହା ଦ୍ୱିଗୁଣିତ ହୋଇ ୬,୬୫୯ରେ ପହଞ୍ଚିଛି । ଠକେଇର ସମୁଦାୟ ପରିମାଣ ମଧ୍ୟ ୧୫୫ କୋଟି ଟଙ୍କାରୁ ୨୭୬ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଡିଜିଟାଲ ପେମେଣ୍ଟ ଠକେଇରୁ ନିଜକୁ ରକ୍ଷା କରିବା ପାଇଁ ବ୍ୟବସାୟୀ ଏବଂ ଉପଭୋକ୍ତାମାନେ ଅଧିକ ସତର୍କ ରହିବା ଆବଶ୍ୟକ। ତେବେ ଏହି ଡିଜିଟାଲ ପେମେଣ୍ଟ କ୍ଷେତ୍ରର ବଢୁଥିବା ଠକେଇର ଉଦ୍‌ବେଗଜନକ ଧାରା ଆମ ସମସ୍ତଙ୍କ ପାଇଁ ଚେତାବନୀ । 

A P Subhakanta, Online Frauds, Digital Payment Frauds, ଅନଲାଇନ୍ ଠକେଇ, ଡିଜିଟାଲ ପେମେଣ୍ଟ ଠକେଇ, ହ୍ୟାକିଂ, hacking

ତେବେ ଏ ବିଷୟରେ ଜାଣିବାକୁ ହେଲେ ପ୍ରଥମେ ଡିଜିଟାଲ୍ ପେମେଣ୍ଟ ଠକେଇ କ'ଣ ଓ ଏହା କିପରି ହେଉଛି ବୁଝିବାକୁ ହେବ। ଡିଜିଟାଲ୍ ପେମେଣ୍ଟ ଠକେଇ ଏପରି ଏକ ଠକେଇ ଯେଉଁଥିରେ କ୍ରେଡିଟ୍ କାର୍ଡ, ଡେବିଟ୍ କାର୍ଡ, ୟୁପିଆଇ ଏବଂ ଅନଲାଇନ୍ ବ୍ୟାଙ୍କିଙ୍ଗ୍ ଭଳି ଡିଜିଟାଲ୍ ପେମେଣ୍ଟ ପଦ୍ଧତିର ବ୍ୟବହାର କରି ଠକାମୀ କରାଯାଇଥାଏ । ଏହି ପ୍ରକାର ଠକେଇ ମାମଲାରେ ଠକ ଡିଜିଟାଲ କାରବାରର ସୁବିଧା ଏବଂ ଫାଇଦା ଉଠାଇ ବିଭିନ୍ନ ବ୍ୟକ୍ତି, ବ୍ୟବସାୟ କିମ୍ବା ଆର୍ଥିକ ଅନୁଷ୍ଠାନଗୁଡ଼ିକ ସହ ଠକାମୀ କରିଥାଏ । ଏହା ଭିନ୍ନ ଭିନ୍ନ ମାଧ୍ଯମରେ ହୋଇଥାଏ, ତେବେ ସାଧାରଣରେ ଦେଖାଯାଉଥିବା ପ୍ରମୁଖ ମାଧ୍ୟମ ଗୁଡ଼ିକ ହେଲା -: ଫିସିଂ, କ୍ଲୋନିଂ, ଫେକ୍ ପାର୍ସଲ୍ / ଶପିଂ, ଏବଂ ହ୍ୟାକିଂ । 

ଫିସିଂରେ ଠକମାନେ ବିଭିନ୍ନ ବୈଧ ଉତ୍ସ, ଯେପରିକି ବ୍ୟାଙ୍କ, ଇନ୍‌ସ୍ୟୁରାନ୍ସ କିମ୍ବା ମୋବାଇଲ୍ ସେବା ପ୍ରଦାନକାରୀ (ସିମ୍)ଙ୍କ ନାମରେ ପ୍ରଲୋଭନକାରୀ ଇମେଲ୍ କିମ୍ବା ଟେକ୍ସଟ୍ ମେସେଜ୍ ପଠାନ୍ତି । ଇମେଲ୍ କିମ୍ବା ଟେକ୍ସଟ୍ ମେସେଜ୍‌ରେ ଏପରି ଲିଙ୍କ୍ ଥାଇପାରେ ଯାହା କ୍ଲିକ୍ କରିବା ପରେ ବ୍ୟକ୍ତିଙ୍କୁ ଏକ ଜାଲ୍ ୱେବସାଇଟ୍‌କୁ ନେଇଯାଏ ଯାହା ପ୍ରକୃତ ୱେବସାଇଟ୍ ପରି ଦେଖାଯାଇଥାଏ । ଏହାପରେ ଯଦି ସେଠାରେ ନିଜ ବ୍ୟକ୍ତିଗତ ତଥ୍ୟକୁ ପ୍ରଦାନ କରନ୍ତି ତେବେ ଠକମାନେ ସହଜରେ ବ୍ୟକ୍ତିଙ୍କ ତଥ୍ୟ ଚୋରି କରିପାରନ୍ତି ଏବଂ ସେହି ତଥ୍ୟକୁ ବ୍ୟବହାର କରି ଡିଜିଟାଲ ବ୍ୟାଙ୍କିଙ୍ଗ ମାଧ୍ଯମରେ ଠକେଇ କରିଥାନ୍ତି । କ୍ଲୋନିଂ ମାଧ୍ଯମରେ ଠକମାନେ ବିଭିନ୍ନ କଲ୍ ମାଧ୍ଯମରେ ତଥା ସେବା ପ୍ରଦାନ କରିବା ନାମରେ ସିମ୍ କାର୍ଡ କ୍ଲୋନିଂ କରିଥାନ୍ତି, ଯାହା ଫଳରେ ସିମ୍‌କୁ ଆସୁଥିବା ସମସ୍ତ ତଥ୍ୟ ସେମାନଙ୍କ ପାଖରେ ପହଞ୍ଚିଥାଏ । ଏହା ବ୍ୟତୀତ ଏପରି କିଛି ଡିଭାଇସ୍ ଅଛି ଯାହାକୁ ବ୍ୟବହାର କରି ପାଖରେ ଥିବା ଡେବିଟ୍ ବା କ୍ରେଡିଟ୍ କାର୍ଡ କ୍ଲୋନିଂ କରିହେବ। ଏହାଦ୍ବାରା ମଧ୍ୟ ତଥ୍ୟ ଚୋରି ତଥା ଠକେଇ ହୋଇଥାଏ । ଫେକ୍ ପାର୍ସଲ୍ / ଶପିଂ ମାଧ୍ଯମରେ ଠକମାନେ ବିଭିନ୍ନ ବୈଧ ବ୍ୟବସାୟର ନାମରେ ଶପିଂ କରିଛନ୍ତି କହି ମିଛ ଇନ୍‌ଭଏସ୍‌ ପଠାଇ ପାର୍ସଲ ଅଟକିରହିଛି କହି ପଇସା ମାଗିଥାନ୍ତି । ଲୋକମାନେ ଜିନିଷ ମିଳିବାର ଲୋଭରେ ପଇସା ଦେଇଥାନ୍ତି ଓ ଠକାମିର ଶିକାର ହୋଇଥାନ୍ତି । ଇନ୍‌ଭଏସ୍‌ରେ ପ୍ରାୟତଃ ଠକର ଆକାଉଣ୍ଟ ନମ୍ବର ରହିଥାଏ, ତେଣୁ ଯେତେବେଳେ ପଇସା ପୈଠ କରନ୍ତି, ସେତେବେଳେ ଠକଙ୍କ ପାଖକୁ ଟଙ୍କା ଯାଇଥାଏ । ହ୍ୟାକିଂ ମାଧ୍ଯମରେ ହ୍ୟାକରମାନେ ବ୍ୟକ୍ତିର ଦୁର୍ବଳ ପାସୱାର୍ଡ କିମ୍ବା ଦୁର୍ବଳତାକୁ ଉପଯୋଗ କରି ବ୍ୟକ୍ତିର ବ୍ୟାଙ୍କ, ସୋସିଆଲ ମିଡ଼ିଆ ପରି ବିଭିନ୍ନ ଆକାଉଣ୍ଟ ଅଧିଗ୍ରହଣ କରିଥାନ୍ତି ଓ ଆକାଉଣ୍ଟ ଅଧିଗ୍ରହଣପରେ ସାଇବର ଅପରାଧୀମାନେ ବ୍ୟକ୍ତିବିଶେଷଙ୍କ ଅନଲାଇନ୍ ଆକାଉଣ୍ଟକୁ ବ୍ୟବହାର କରି ଠକେଇ କରନ୍ତି । 

ତେବେ ବର୍ତ୍ତମାନ ସମୟରେ ଡିଜିଟାଲ କାରବାରର ବୃଦ୍ଧି ଫଳରେ ସୁବିଧା ଏବଂ ଦକ୍ଷତା ପାଇଁ ଅଧିକ ଲୋକ ଏବଂ ବିଭିନ୍ନ ବ୍ୟବସାୟୀ ଡିଜିଟାଲ ଦେୟ ପଦ୍ଧତି ଗ୍ରହଣ କରୁଥିବାରୁ, କାରବାରର ପରିମାଣ ଯଥେଷ୍ଟ ବୃଦ୍ଧି ପାଇଛି । ଏହି ବର୍ଦ୍ଧିତ ଡିଜିଟାଲ କାରବାର ସାଇବର ଅପରାଧୀଙ୍କୁ ବ୍ୟକ୍ତିଙ୍କୁ ଟାର୍ଗେଟ କରିବା ପାଇଁ ଅଧିକ ସୁଯୋଗ ପ୍ରଦାନ କରିଛି । ଏହା ବ୍ୟତୀତ ଟେକ୍ନୋଲୋଜିର ବ୍ୟବହାର ଫଳରେ ସାଇବର ଅପରାଧୀମାନେ ଡିଜିଟାଲ ପେମେଣ୍ଟ ସିଷ୍ଟମର ଦୁର୍ବଳତାକୁ ଉପଯୋଗ କରି କ୍ରମାଗତ ଭାବରେ ସେମାନଙ୍କ ପଦ୍ଧତିରେ ଅଧିକ ଦକ୍ଷ ଓ ଅତ୍ୟାଧୁନିକ ଠକେଇ କରିଚାଲିଛନ୍ତି । 

ଏସବୁ ଠକେଇର ପ୍ରମୁଖ କାରଣ ହେଉଛି ଉପଭୋକ୍ତାଙ୍କ ମଧ୍ୟରେ ସଚେତନତାର ଅଭାବ । ଅନେକ ଗ୍ରାହକ ଡିଜିଟାଲ ପେମେଣ୍ଟ ଠକେଇର ବିପଦ ବିଷୟରେ ସଚେତନ ନୁହଁନ୍ତି ଏବଂ ନିଜକୁ ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ମଧ୍ୟ ନେଉନାହାନ୍ତି । ଆଉ ଅନ୍ୟପଟେ ଇଣ୍ଟରନେଟ ମାଧ୍ଯମରେ ଗ୍ଲୋବାଲ କନେକ୍ଟିଭିଟି ବୃଦ୍ଧି କାରଣରୁ ସାଇବର ଅପରାଧୀଙ୍କୁ ଭିନ୍ନ ଭିନ୍ନ ସ୍ଥାନରେ ପରସ୍ପର ସହ ଜଡ଼ିତ ହୋଇ କାର୍ଯ୍ୟ କରିବାକୁ ସୁଯୋଗ ମିଳୁଛି, ଯାହା କାରଣରୁ ବିଭିନ୍ନ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡିକ ଦ୍ଵାରା ସେମାନଙ୍କୁ ଟ୍ରାକ୍ କରିବା ଏବଂ ଧରିବା କଷ୍ଟକର ହେଉଛି । ଟେକ୍ନୋଲୋଜି ଦ୍ରୁତ ଗତିରେ ବିକଶିତ ହେଉଥିଲେ ହେଁ ଏ ଦିଗରେ ପର୍ଯ୍ୟାପ୍ତ ନିରାପତ୍ତା ପଦକ୍ଷେପ ନିଆଯାଇପାରିନାହିଁ । ସମସ୍ତ ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମ ଏବଂ ସେବାଗୁଡିକ ଏଯାଏଁ ଦୃଢ଼ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିନାହାଁନ୍ତି । ଦୁର୍ବଳ ପାସୱାର୍ଡ, ମଲ୍ଟି-ଫ୍ୟାକ୍ଟର ପ୍ରମାଣୀକରଣର ଅଭାବ ଏବଂ ପୁରୁଣା ସୁରକ୍ଷା ପ୍ରୋଟୋକଲ ସାଇବର ଅପରାଧୀଙ୍କ ପାଇଁ ବିଭିନ୍ନ ମାଧ୍ୟମରେ ଠକେଇ କରିବା ସହଜ କରିଛି ।

ଏସବୁକୁ ରୋକିବା ପାଇଁ ପ୍ରଥମେ ଡିଜିଟାଲ ପେମେଣ୍ଟ ଠକେଇର ବିପଦ ଏବଂ ନିଜକୁ କିପରି ସୁରକ୍ଷିତ ରଖିବେ ସେ ବିଷୟରେ ଜନସାଧାରଣ ସଚେତନ ହେବା ଆବଶ୍ୟକ । ଏଥିପାଇଁ ବିଭିନ୍ନ ଜନସଚେତନତା ଅଭିଯାନ, ବିଦ୍ୟାଳୟ ତଥା ମହାବିଦ୍ୟାଳୟସ୍ତରୀୟ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ପ୍ରଚାର ପ୍ରସାର ଆବଶ୍ୟକ । ଏହା ଛଡ଼ା ପେମେଣ୍ଟ ଆପ୍‌ଗୁଡିକରେ ମଲ୍ଟି-ଫ୍ୟାକ୍ଟର ଅଥେଣ୍ଟିକେସନ୍ , ବାୟୋମେଟ୍ରିକ୍ ଯାଞ୍ଚ ଏବଂ ଟୋକନାଇଜେସନ୍ ପରି ଦୃଢ଼ ପ୍ରମାଣୀକରଣ ପଦ୍ଧତି କାର୍ଯ୍ୟକାରୀ ହେବା ଆବଶ୍ୟକ । ଏହାବ୍ୟତୀତ ସରକାର ମଧ୍ଯ ଏହା ନିଶ୍ଚିତ କରନ୍ତୁ ଯେ ସାଇବର ଅପରାଧ, ଡିଜିଟାଲ କାରବାର ଏବଂ ଡାଟା ସୁରକ୍ଷା ସମ୍ବନ୍ଧୀୟ ଆଇନ ପ୍ରାସଙ୍ଗିକ ଏବଂ କାର୍ଯ୍ୟକାରୀ ହେବ ।

ବିଦେଶରୁ ହେଉଥିବା ସାଇବର ଅପରାଧର ମୁକାବିଲା ପାଇଁ ଅନ୍ତର୍ଜାତୀୟ ସହଯୋଗକୁ ପ୍ରାଧାନ୍ୟ ଦେଇ ଗୁଇନ୍ଦା ସୂଚନା ଆଦାନ ପ୍ରଦାନ, ସାଇବର ବିପଦ ବିଷୟରେ ସୂଚନା ଆଦାନ ପ୍ରଦାନ ଏବଂ ସାଇବର ଅପରାଧିକ ନେଟୱାର୍କର ମିଳିତ ଅନୁସନ୍ଧାନ ପାଇଁ ଅନ୍ୟ ଦେଶମାନଙ୍କ ସହ ମିଳିତ ସହଯୋଗରେ ସରକାର କାମ କରିବା ଆବଶ୍ୟକ ।

ତେବେ ଏହା ମନେ ରଖିବା ଜରୁରୀ ଯେ ଠକମାନେ ଡିଜିଟାଲ ପେମେଣ୍ଟରେ ଥିବା ଦୁର୍ବଳତାକୁ ଉପଯୋଗ କରିବା ପାଇଁ ସବୁବେଳେ ନୂଆ ନୂଆ ଉପାୟ ଖୋଜୁଛନ୍ତି । ଫଳରେ ଗ୍ରାହକମାନେ ଅତ୍ୟାଧୁନିକ ଠକେଇ ନିବାରଣ ସୂଚନା ଉପରେ ଅପ-ଟୁ-ଡେଟ୍ ରହିବା ସହ ନିଜକୁ ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ନେବା ଜରୁରୀ । ଡିଜିଟାଲ ପେମେଣ୍ଟ ଠକେଇର ବଢୁଥିବା ବିପଦ ଏକ ଜଟିଳ ପ୍ରସଙ୍ଗ ଯାହା ପାଇଁ ସମସ୍ତଙ୍କ ମିଳିତ ପ୍ରୟାସ ଆବଶ୍ୟକ । ସାଇବର ଅପରାଧ ବିରୋଧରେ ଦୃଢ଼ ଆଇନ ପ୍ରଣୟନ କରି, ଠକେଇ ମାମଲାର ତଦନ୍ତ ଓ ବିଚାର ପାଇଁ ଆଇନ ପ୍ରବର୍ତ୍ତନକାରୀ ଏଜେନ୍ସିମାନଙ୍କ ସହ କାମ କରିବା, ଡିଜିଟାଲ ପେମେଣ୍ଟ ଠକେଇର ବିପଦ ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା ଏବଂ ଡିଜିଟାଲ ପେମେଣ୍ଟ ପ୍ରଦାନକାରୀଙ୍କୁ ନିୟନ୍ତ୍ରଣ କରି ଡିଜିଟାଲ ପେମେଣ୍ଟ ଠକେଇକୁ ରୋକିବାରେ ସରକାର ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ ।