ଏସିଆ ମହାଦେଶର ସବୁଠାରୁ ବଡ ଗାଁ ଭୁବନ ସର୍ବକନିଷ୍ଠ ସହିଦ ବାଜି ରାଉତ ଏବଂ ପିତ୍ତଳ କାରିଗରୀ ପାଇଁ ବିଶ୍ଵରେ ପ୍ରସିଦ୍ଧ। ୧୯୭୨ରେ ଏହା ଏନ୍ ଏ ସିରେ ପରିଣତ ହୋଇଥିଲା କିନ୍ତୁ ତଥାପି ଏଠାର ଲୋକମାନେ ଆଜି ବି ଆଧୁନିକୀକରଣରେ ମଧ୍ୟ ନିଜ ପରମ୍ପରାକୁ ଭୁଲିନାହାଁନ୍ତି। ଅନ୍ୟ ଗ୍ରାମବାସୀଙ୍କ ପରି ଏଠାକାର ଅଧିବାସୀମାନେ ଦୋଳଯାତ୍ରା, ଲକ୍ଷ୍ମୀପୂଜା, ବାଲିଯାତ୍ରା, ଦଶହରା, ଶୀତଳ ଷଷ୍ଠୀ, କାଳୀପୂଜା, ଗଣେଶ ପୂଜା, ହିଙ୍ଗୁଳା ଯାତ୍ରା, ଜାଗର ଯାତ୍ରା ଓ ଅନ୍ୟାନ୍ୟ ପର୍ବପର୍ବାଣୀ ପାଳନ କରିଥାନ୍ତି। ତେବେ ସବୁ ପର୍ବପର୍ବାଣୀ ମଧ୍ୟରେ ଭୁବନର ଦଶହରା ପର୍ବ ଅନ୍ୟମାନଙ୍କ ଠାରୁ ଅନନ୍ୟ ଏବଂ ନିଆରା ବଳଦ ଯାତ୍ରା ପାଇଁ ଅନେକ ଲୋକଙ୍କୁ ଆକର୍ଷିତ କରିଥାଏ । 

Bullock fest, Bhuban, Bhuban Balada Jatra, Balada Jatra

ପ୍ରାଚୀନ କାଳରେ ଯାନବାହାନ ଉପଲବ୍ଧ ନଥିବା ବେଳେ ବଳଦକୁ ବାଣିଜ୍ୟ ବ୍ୟବସାୟ, ପରିବହନ ଏବଂ କୃଷି ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିଲା । ଦଶହରା ସମୟରେ ବ୍ୟବସାୟୀ, କୃଷକମାନେ ବିଶ୍ରାମ ନିଅନ୍ତି ଏବଂ ବଳଦମାନେ ମଧ୍ଯ କୌଣସି କାର୍ଯ୍ୟରେ ନିୟୋଜିତ ହୋଇନଥାନ୍ତି ତେଣୁ ବଳଦମାନଙ୍କ ପରିଶ୍ରମକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଏହି ସମୟରେ ବଳଦ ଯାତ୍ରା ଆୟୋଜନ କରାଯାଉଥିଲା। ଏବେ ଯଦିଓ ବଳଦମାନଙ୍କ ବ୍ୟବହାର ଆଉ ପୂର୍ବ ପରି ହେଉନାହିଁ ତଥାପି ପରମ୍ପରାକୁ ବଜାୟ ରଖିବା ପାଇଁ ଏବେ ବି ପ୍ରତ୍ୟେକ ବର୍ଷ ଦଶହରା ସମୟରେ ଭୁବନରେ ବଳଦ ଯାତ୍ରା ପାଳନ କରାଯାଉଛି । 

ବଳଦ ଯାତ୍ରା ପାଇଁ ମହାଳୟା ପୂର୍ବରୁ ପବିତ୍ର ବଳଦ ଚୟନ କରାଯାଏ । ଗାଁଟିରେ ପ୍ରାୟ ୩୬ ଜାତିର ଲୋକ ବାସ କରନ୍ତି ଓ ପ୍ରତ୍ୟେକ ଜାତି ତଥା ବିଭିନ୍ନ ସମାଜର ବଳଦ ଚୟନ କରାଯାଇଥାଏ । ସେମାନଙ୍କୁ ପ୍ରବଳ ଭିଡ଼, ଉଚ୍ଚ ସଙ୍ଗୀତ ଏବଂ ରଙ୍ଗୀନ୍ ଆଲୋକ ସହିତ ପରିଚିତ ହେବା ପାଇଁ ପ୍ରଶିକ୍ଷଣ ଦିଆଯାଏ । ଚୟନ ହୋଇଥିବା ବଳଦମାନଙ୍କୁ ବିଭିନ୍ନ ଅଳଙ୍କାର, ମଣି, ଘଣ୍ଟି ଏବଂ ରଙ୍ଗୀନ ମଖମଲ କପଡ଼ାରେ ସଜାଯାଇଥାଏ । ବିଜୟାଦଶମୀର ପୂର୍ବ ସଂକ୍ରାନ୍ତିରେ ଲୋକମାନେ ଘର ଆଗରେ ଶୁଭ ଖୁଣ୍ଟ ବା ବନ୍ଦାଣ ଖୁଣ୍ଟ ଲଗାଇଥାନ୍ତି । ବିଜୟାଦଶମୀ ଦିନ ମହିଳାମାନେ ଏହି ଖୁଣ୍ଟକୁ ପୂଜା କରିଥାନ୍ତି । ବର୍ଷଯାକ ଏହା ଥାଏ ଏବଂ ନୂଆ ଖୁଣ୍ଟ ପୋତା ହେବା ପରେ ପୁରୁଣା ଖୁଣ୍ଟକୁ ପାଣିରେ ବିସର୍ଜନ କରାଯାଏ । ଯେଉଁମାନେ ଏହି ବଳଦ ଯାତ୍ରା ପରମ୍ପରା ତଥା ରୀତିନୀତି ସହ ଜଡିତ ଅଛନ୍ତି ସେମାନଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି ଖୁଣ୍ଟ କିମ୍ବା ବଳଦକୁ ସ୍ପର୍ଶ କରନ୍ତି ନାହିଁ । ବଳଦମାନଙ୍କୁ ଗ୍ରାମଦେବୀ 'ବଣିଜାରୀ'ଙ୍କ ପାଖକୁ ନିଆଯାଇ ପୂଜା କରାଯାଏ । ବଳଦମାନେ ଗ୍ରାମଦେବୀଙ୍କ ଚାରିପଟେ ପ୍ରଦକ୍ଷିଣ କରିଥାନ୍ତି ଏବଂ ଶୋଭାଯାତ୍ରା ପର୍ଯ୍ୟନ୍ତ ପବିତ୍ର ଖୁଣ୍ଟରେ ବନ୍ଧାହୋଇଥାନ୍ତି । ଶୋଭାଯାତ୍ରା ପର୍ଯ୍ୟନ୍ତ ବଳଦମାନଙ୍କୁ ଅତ୍ୟନ୍ତ ଯତ୍ନର ସହ ଖାଇବାକୁ ଦିଆଯାଏ ଏବଂ ଦାୟିତ୍ଵ ନିଆଯାଏ । ପୂଜା ଦିନ ଘର ଦୁଆର ଓ ଅଗଣାରେ ଝୋଟି-ମୁରୁଜ ବୁଣାଯାଏ । ପ୍ରତ୍ୟେକ ଘରକୁ ସାଜସଜ୍ଜା ସହ ଘର ସମ୍ମୁଖରେ ପୂର୍ଣ୍ଣ କଳସ ରଖାଯାଏ । ଘରେ ଘରେ ଆରିସା ପିଠା ତିଆରି ହୋଇ ପୂଜା ହୁଏ । ବିସର୍ଜନ ଦିନ ବଳଦମାନଙ୍କୁ ଉଚ୍ଚ ସଙ୍ଗୀତ, ପ୍ରବଳ ଭିଡ଼ ଏବଂ ଆଲୋକରେ ଶୋଭାଯାତ୍ରା ପାଇଁ ନିଆଯାଏ । ଏହି ଶୋଭାଯାତ୍ରା ସମ୍ପୂର୍ଣ୍ଣ ଭୁବନ ଗ୍ରାମରେ ହେବା ସହ ପାଖାପାଖି ୫ କିଲୋମିଟର ପର୍ଯ୍ୟନ୍ତ ଚାଲିଥାଏ ଏବଂ ସାରା ରାତି ଚାଲିଥାଏ । ଏହା ରାତି ପ୍ରାୟ ୧୦ଟାରୁ ଆରମ୍ଭ ହୋଇ ପରଦିନ ମଧ୍ୟାହ୍ନ ପର୍ଯ୍ୟନ୍ତ ଚାଲିଥାଏ । ବିଭିନ୍ନ ସାହିରୁ ବଳଦ ଶୋଭାଯାତ୍ରାରେ ବାହାରି ଗୁଜୁରୀହାଟ ଠାରେ ଏକତ୍ରିତ ହୋଇ ଭସାଣୀଯାତ୍ରା ଆରମ୍ଭ କରିଥାନ୍ତି । ପ୍ରାୟ ପଚାଶରୁ ଉର୍ଦ୍ଧ୍ୱ ସୁସଜ୍ଜିତ ବିମାନ ଓ ଦଶହରା ବଳଦ, ଦୁର୍ଗାମେଢ଼ ଆଗରେ କ୍ରମାନ୍ୱୟରେ ଦୁର୍ଗାଛକ, ଲକ୍ଷ୍ମୀଛକ, ଚମାରସାହି, ବଣିଆସାହି, ବ୍ରାହ୍ମଣୀଦେବୀ ଛକ, ରାଉତ ସାହି, ବେହେରା ସାହି, ବାଜିଛକ, ବଡ଼ହାଟ, ଗଣେଶବଜାର ଦେଇ ପରଦିନ ସକାଳେ ନୂଆବଜାରଠାରେ ପହଞ୍ଚିଥାଆନ୍ତି । ସର୍ବପ୍ରଥମେ ଭୁବନର ଐତିହାସିକ ବଳଦଯାତ୍ରାର ସ୍ରଷ୍ଟା ଥୋରିଆ ସମାଜଙ୍କ ଆରାଧ୍ୟ ଦେବୀ ମା ବଣିଜାରୀଙ୍କ ପରେ ଭୁବନର ପ୍ରଥମ ଦୁର୍ଗାମେଢ଼ ବନଦୁର୍ଗା, ନୂଆଭୁବନ, ହରପାର୍ବତୀ, ବାଜିଛକ, ପୋଥାଳ ସାହି, ସେନସାହି, କ୍ଲାସିକ କ୍ଳବ, ଗଡ଼ଗଁପୁର, ହାଟୁଆବଣିକ ସଂଘ ଓ ଶେଷରେ ଗୁଜୁରୀହାଟ ଦେଶ ଦୁର୍ଗା ମେଢ଼ ପହଞ୍ଚିବା ପରେ ନୂଆବଜାରରେ ମେଳଣ ହୋଇଥାଏ । ପ୍ରତ୍ୟେକ ବର୍ଷ ଏହି ଉତ୍ସବ ଦେଖିବା ପାଇଁ ଆଖପାଖ ଜିଲ୍ଲା ଓ ରାଜ୍ୟରୁ ପ୍ରବଳ ଜନସମାଗମ ହୋଇଥାଏ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏହା ବହୁତ ପୁରୁଣା ପର୍ବ । ଭୁବନ ଶାନ୍ତି କମିଟିର ପୂର୍ବତନ ସଭାପତି ସ୍ବର୍ଗତ ବାସୁଦେବ ବେହେରାଙ୍କ କହିବାନୁଯାୟୀ, ୧୯୦୦ ଦଶକର ପ୍ରାରମ୍ଭରେ ଭୁବନର ଐତିହାସିକ ବଳଦ ଯାତ୍ରା ଆରମ୍ଭ ହୋଇଥିଲା। ଥୋରିଆ ସମାଜର ଲୋକମାନେ ଏହି ପର୍ବର ଶୁଭାରମ୍ଭ କରିଥିଲେ। ପ୍ରଥମ ଶୋଭାଯାତ୍ରା ୪ଟି ବଳଦଙ୍କୁ ନେଇ ଆରମ୍ଭ ହୋଇଥିଲା, ଯେଉଁଥିରେ ଗୋଟିଏ ଥୋରିଆ ସମାଜରୁ, ଗୋଟିଏ କୈବର୍ତ୍ତ ସମାଜରୁ, ଗୋଟିଏ ନୀଳକଣ୍ଠପୁରରୁ ଏବଂ ଅନ୍ୟଟି ଭୁବନ ଗ୍ରାମ ମଧ୍ଯରୁ ଆସିଥିଲା। ଏହା ପରେ ପରବର୍ତ୍ତୀ ସମୟରେ ଅନ୍ୟ ଜାତି ତଥା ସମାଜର ଲୋକମାନେ ଧୀରେ ଧୀରେ ଶୋଭାଯାତ୍ରାରେ ସାମିଲ ହେବା ଆରମ୍ଭ କରିଥିଲେ। ଦିନ ଥିଲା ଯେତେବେଳେ ଶହ ଶହ ବଳଦ ବିସର୍ଜନ ଶୋଭାଯାତ୍ରାରେ ଅଂଶଗ୍ରହଣ କରୁଥିଲେ। ଧୀରେ ଧୀରେ ବଳଦର ବ୍ୟବହାର କମିବା ଫଳରେ ଏ ପୁରୁଣା ପର୍ବ ପ୍ରଭାବିତ ହୋଇ ଶୋଭାଯାତ୍ରାରେ ଭାଗ ନେଉଥିବା ବଳଦଙ୍କ ସଂଖ୍ୟା ହ୍ରାସ ହୋଇଥିଲା । 

ସଂସ୍କୃତିପ୍ରେମୀ ପ୍ରମୋଦ କୁମାର ପଣ୍ଡାଙ୍କ ସହ ଆଲୋଚନା ଅନୁଯାୟୀ, ଭୁବନର ବଳଦ ଯାତ୍ରା ଦକ୍ଷିଣ ଓଡ଼ିଶାରେ ଦେଖିବାକୁ ମିଳୁଥିବା କିଛି ପାରମ୍ପରିକ ରୀତିନୀତିରୁ ପ୍ରେରିତ ହୋଇଥାଇପାରେ। ଯେଉଁଠାରେ ଗ୍ରାମବାସୀମାନେ ପବିତ୍ର ବଳଦକୁ ପୂଜା କରିଥାନ୍ତି । ଭୁବନର ବ୍ୟବସାୟୀମାନେ ସେମାନଙ୍କ ବ୍ୟବସାୟ ସମୟରେ ହୁଏତ ଏହା ଦେଖି ଏହି ପରମ୍ପରା ଆରମ୍ଭ କରିଥାଇପାରନ୍ତି । ଯେହେତୁ ଦଶହରା ସମୟରେ ପ୍ରତ୍ୟେକ ବ୍ୟବସାୟୀ ଘରକୁ ଆସନ୍ତି ତେଣୁ ସେମାନେ ଏହି ସମୟରେ ଉତ୍ସବ ପାଳନ କରନ୍ତି । 

ଭୁବନର ଐତିହାସିକ ବଳଦ ଯାତ୍ରା ପଶୁପକ୍ଷୀଙ୍କ ପ୍ରତି ମଣିଷର ସ୍ନେହ, ସମ୍ମାନ ଓ ସମ୍ପର୍କକୁ ଦର୍ଶାଏ । ଆଜିକାଲି ଭୁବନ ବଳଦ ଯାତ୍ରା ବ୍ୟତୀତ ଏକତାଳି (ଭୁବନ ନିକଟରେ ଥିବା ଏକ ଗାଁ) ଏବଂ ଭଦ୍ରକର ବାରୋ-ନୁଆପାଟଣାରେ ମଧ୍ୟ ବଳଦ ଯାତ୍ରା ଅନୁଷ୍ଠିତ ହେଉଛି । 


(ଉପରୋକ୍ତ ଲେଖାଟି ସ୍ବର୍ଗତ ବାସୁଦେବ ବେହେରା (ସଭାପତି, ଭୁବନ ଶାନ୍ତି କମିଟି), ଦିଲୀପ କୁମାର ଦାସ (ଅଧ୍ୟକ୍ଷ, ଭୁବନ ମହିଳା ମହାବିଦ୍ୟାଳୟ), ପ୍ରମୋଦ କୁମାର ପଣ୍ଡା (ବ୍ରହ୍ମପୁର) ଏବଂ ଭୁବନର ସ୍ଥାନୀୟ ଲୋକଙ୍କ ସହ ଆଲୋଚନା ଉପରେ ଆଧାରିତ)