ଭାରତରେ ସୋମବାରଠାରୁ ସିଏଏ (CAA) ଅର୍ଥାତ୍ ନାଗରିକତା ସଂଶୋଧନ ଆଇନ ଲାଗୁ ହୋଇଛି। ଏହି ଆଇନ କେବଳ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରେ ଧାର୍ମିକ ନିର୍ଯାତନା କାରଣରୁ ଭାରତରେ ଆଶ୍ରୟ ନେଇଥିବା ଶରଣାର୍ଥୀଙ୍କ ପାଇଁ ଲାଗୁ ହେବ। ଗୋଟିଏ ପଟେ ଏହି ଆଇନ୍ ଲାଗୁ ହେବା ପରେ ପୀଡ଼ିତ ଶରଣାର୍ଥୀଙ୍କ ମଧ୍ୟରେ ଖୁସି ରହୁଥିବା ବେଳେ ଅନ୍ୟପଟେ କିଛି ଶକ୍ତି ବିଭ୍ରାନ୍ତି ସୃଷ୍ଟି କରି ଦେଶରେ ଅଶାନ୍ତି ସୃଷ୍ଟି କରିବାକୁ ଷଡ଼ଯନ୍ତ୍ର ଆରମ୍ଭ କରିଛନ୍ତି। ଡିସେମ୍ବର ୧୦, ୨୦୧୯ରେ ଏହି ଆଇନ ଲୋକସଭାରେ, ୨୦୧୯ ଡିସେମ୍ବର ୧୧ରେ ରାଜ୍ୟସଭାରେ ପାରିତ ହୋଇଥିଲା ଏବଂ ଡିସେମ୍ବର ୧୨ରେ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଥିଲା । ୨୦୧୯ ଡିସେମ୍ବର ୨୦ ତାରିଖରେ ପାକିସ୍ତାନରୁ ଆସିଥିବା ୭ ଜଣ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା ଦେଇ ଏହି ଆଇନକୁ କାର୍ଯ୍ୟକାରୀ କରିବାର ଔପଚାରିକତା ମଧ୍ୟ ଶେଷ ହୋଇଥିଲା। କିନ୍ତୁ ବିରୋଧ ଯୋଗୁଁ ଏହି ଆଇନ କାର୍ଯ୍ୟକାରୀ ହେବାରେ ବିଳମ୍ୱ ହୋଇଥିଲା ଏବେ ପୁଣି ଏହାକୁ କାର୍ଯ୍ୟକାରୀ କରିବା ପରେ ଏହା ବିରୋଧରେ ଆନ୍ଦୋଳନ ଆରମ୍ଭ ହୋଇଛି । ଆସାମ, ହାଇଦ୍ରାବାଦ, ଉତ୍ତରପ୍ରଦେଶ ଓ ଦିଲ୍ଲୀ ପରି ଦେଶର ବିଭିନ୍ନ ସ୍ଥାନରୁ ଅସନ୍ତୋଷର ସ୍ୱର ଉଠିଛି। ଆସାମରେ ଆସାମ ଷ୍ଟୁଡେଣ୍ଟସ ୟୁନିୟନ ବନ୍ଦ ଡାକରା ଦେଇଥିବା ବେଳେ ହାଇଦ୍ରାବାଦର ରାଜନେତା ଓୱେସି ଏହାକୁ ପକ୍ଷପାତିତା କହି ଦେଶବ୍ୟାପୀ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।

ଏହି ଆଇନକୁ ବିରୋଧ କରିବାକୁ ଯେଉଁ ସଂଗଠନ ଓ ଚେହେରା ଆଗେଇ ଆସିଛନ୍ତି, ସେମାନଙ୍କୁ ମୁଖ୍ୟତଃ ତିନିଟି ଗୋଷ୍ଠୀ ବୋଲି କୁହାଯାଇପାରେ। ପ୍ରଥମ ଗୋଷ୍ଠୀ ସେମାନେ ଯେଉଁମାନେ ସରକାରଙ୍କ ପ୍ରତ୍ୟେକ ନିଷ୍ପତ୍ତିକୁ ବିରୋଧ କରନ୍ତି କିମ୍ବା ପ୍ରଶ୍ନ କରନ୍ତି। ବିମୁଦ୍ରାକରଣ, ସର୍ଜିକାଲ ଷ୍ଟ୍ରାଇକ୍, ଚନ୍ଦ୍ରଯାନ, ପ୍ରତିରକ୍ଷା ଚୁକ୍ତି, ଜିଏସଟି ଲାଗୁ, କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଏବଂ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣକୁ ନେଇ ମଧ୍ୟ ଏମାନେ ବିରୋଧ ଓ ପ୍ରଶ୍ନବାଚୀ ସୃଷ୍ଟି କରିଥିଲେ। ସେଥିପାଇଁ ନାଗରିକ ସଂଶୋଧନ ଆଇନ୍ (CAA) ବିରୋଧରେ ଏହି ବିରୋଧୀ ଗୋଷ୍ଠୀ ପୁଣି ଥରେ ମଇଦାନକୁ ଓହ୍ଲାଇଛନ୍ତି। ଏହି ଆଇନକୁ ବିରୋଧ କରୁଥିବା ଆନ୍ଦୋଳନକାରୀଙ୍କ ଗୋଷ୍ଠୀ ହେଉଛି ଦ୍ଵିତୀୟ ଗୋଷ୍ଠୀ, ଏମାନଙ୍କୁ ସବୁବେଳେ କୌଣସି ନା କୌଣସି ଆନ୍ଦୋଳନରେ ଦେଖିବାକୁ ମିଳେ। ଏମାନଙ୍କୁ ପୂର୍ବରୁ ଭାରତ ବିଭାଜନ ସ୍ଲୋଗାନ ଦେଉଥିବା ଆନ୍ଦୋଳନ, ଶାହିନବାଗ ଏବଂ କୃଷକ ଆନ୍ଦୋଳନରେ ଦେଖିବାକୁ ମିଳିଥିଲା । ସେମାନେ ମଧ୍ୟ ଏହି ଆଇନକୁ ବିରୋଧ କରିବାରେ ସକ୍ରିୟ ଅଛନ୍ତି। ମୋଟାମୋଟି ଦେଖିବାକୁ ଗଲେ ଏମାନଙ୍କୁ ଆନ୍ଦୋଳନକାରୀ ନୁହେଁ ବରଂ ଆନ୍ଦୋଳନଜୀବି କହିବା ଠିକ୍ ହେବ। ତୃତୀୟ ଗୋଷ୍ଠୀ ହେଉଛି ସେହି ଗୋଷ୍ଠୀ ଯିଏ ଭାରତର ମୁସଲମାନମାନଙ୍କୁ ଦେଶର ମୁଖ୍ୟ ସ୍ରୋତରେ ସାମିଲ କରିବା ପରିବର୍ତ୍ତେ ଭାବନାତ୍ମକ ଆରୋପ ଲଗାଇ ନିଜର ରାଜନୈତିକ ସ୍ବାର୍ଥ ପାଇଁ ସେମାନଙ୍କୁ ଅଲଗା ରଖିବାକୁ ଚେଷ୍ଟା କରେ । ଏହି ତିନୋଟି ଗୋଷ୍ଠୀକୁ ପ୍ରାୟତଃ ନାଗରିକ ସଂଶୋଧନ ଆଇନ୍ (CAA) ବିରୋଧରେ ଏକାଠି ଦେଖିବାକୁ ମିଳୁଛି ।


ବିରୋଧ ଆଳରେ ଏହି ଆଇନକୁ ନେଇ ଭୁଲ ଧାରଣା ପ୍ରଚାର କରାଯାଉଛି ଯେ ଏହି ଆଇନ ସ୍ଥାନୀୟ ମୁସଲମାନଙ୍କ ନାଗରିକତା ଉପରେ ପ୍ରଶ୍ନ ଉଠାଉଛି ଏବଂ ଭବିଷ୍ୟତରେ ଉତ୍ତରପୂର୍ବ ଅଞ୍ଚଳରେ ଥିବା ଜନଜାତିଙ୍କ ସଂସ୍କୃତିକୁ କ୍ଷତି ପହଞ୍ଚାଇବ। ଏଠାରେ ରହୁଥିବା ମୁସଲମାନଙ୍କ ନାଗରିକତା ସହ ଏହି ଆଇନର କୌଣସି ସମ୍ପର୍କ ନଥିବା ବେଳେ କୌଣସି ଭାରତୀୟ ମୁସଲମାନଙ୍କୁ ଏ ସମ୍ବନ୍ଧରେ ପଚରାଯିବ ନାହିଁ କି କୌଣସି ପ୍ରମାଣ ମଧ୍ୟ ମଗାଯିବ ନାହିଁ। ଏହି ପ୍ରକ୍ରିୟା ଜଣେ ମୁସଲମାନଙ୍କୁ ଭାରତୀୟ ନାଗରିକତା ପାଇଁ ଆବେଦନ କରିବାରେ କୌଣସି ବାଧା ସୃଷ୍ଟି କରିବ ନାହିଁ। ଆଉ ଯଦି ଉତ୍ତରପୂର୍ବ କଥା ଦେଖିବା ତେବେ ସମ୍ବିଧାନର ଷଷ୍ଠ ଅନୁସୂଚୀରେ ଅନ୍ତର୍ଭୁକ୍ତ ଆସାମ, ମେଘାଳୟ, ମିଜୋରାମ ଏବଂ ତ୍ରିପୁରାର ଜନଜାତି ଅଞ୍ଚଳରେ ନାଗରିକ ସଂଶୋଧନ ଆଇନ୍ (CAA) ଲାଗୁ ହେବ ନାହିଁ। ଏହାବ୍ୟତୀତ ୧୮୭୩ ର ବେଙ୍ଗଲ ଇଷ୍ଟର୍ଣ୍ଣ ଫ୍ରଣ୍ଟିୟର ରେଗୁଲେସନ ଅଧୀନରେ ଇନର ଲାଇନ ପରମିଟ ଉପରେ ନାଗରିକ ସଂଶୋଧନ ଆଇନ୍ (CAA) ଲାଗୁ ହେବ ନାହିଁ ।


ଅନ୍ୟ ଦେଶର ନାଗରିକ ଭାରତରେ ନାଗରିକତା ଗ୍ରହଣ କରିବା ପାଇଁ ଏକ ପ୍ରକ୍ରିୟା ରହିଛି। ଏହି ପ୍ରକ୍ରିୟାରେ ପାକିସ୍ତାନରୁ ମୁସଲିମ ସମାଜର ଅନେକ ଲୋକ ମଧ୍ୟ ଭାରତକୁ ଆସି ଏଠାକାର ନାଗରିକ ହୋଇଛନ୍ତି । ଏଥିରେ ସାଧାରଣ ଲୋକଙ୍କ ବ୍ୟତୀତ ଲେଖକ ଓ ଚଳଚ୍ଚିତ୍ର କଳାକାର ମଧ୍ୟ ସାମିଲ ଅଛନ୍ତି। ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନର ମୁସଲମାନ ନାଗରିକମାନଙ୍କୁ ଭାରତର ନାଗରିକତା ମିଳିବା ପ୍ରକ୍ରିୟା ଚାଲିଥିଲା ଏବଂ ଜାରି ରହିବ। ଏହି ଆଇନ ସେହି ପ୍ରକ୍ରିୟାରେ କୌଣସି ବାଧା ସୃଷ୍ଟି କରୁ ନାହିଁ। ଏହି ଆଇନ କେବଳ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଧାର୍ମିକ ନିର୍ଯାତନା ପରେ ଭାରତକୁ ଆସୁଥିବା ଶରଣାର୍ଥୀଙ୍କୁ ନାଗରିକତା ଯୋଗାଇବାରେ ସୀମିତ ରହିଛି।


୨୦୧୯ରେ ବିଜେପିର ସଂକଳ୍ପ ପତ୍ରରେ ଏହି ଆଇନକୁ କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା । ଯେଉଁ ସଂକଳ୍ପ ଆଧାରରେ ବିଜେପି ସରକାର ଗଠନ ପାଇଁ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା, ସେହି ପ୍ରତିଶ୍ରୁତି ପୂରଣ ପାଇଁ ଏହି ଆଇନ ଏକ ପଦକ୍ଷେପ। ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନରୁ ଧାର୍ମିକ ନିର୍ଯାତନାର ଶିକାର ହୋଇ ଭାରତକୁ ଆସିଥିବା ହିନ୍ଦୁ, ଶିଖ୍, ବୌଦ୍ଧ, ଜୈନ, ପାର୍ସୀ ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଶରଣାର୍ଥୀଙ୍କ ପାଇଁ ଏହି ଆଇନ ଲାଗୁ ହେଉଛି । ଏହି ତିନୋଟି ଦେଶରେ ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ପାର୍ସୀ ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଉପରେ ଧାର୍ମିକ ଆଧାରରେ କେତେ ନିର୍ଯାତନା ଦିଆଯାଉଛି ତାହାର ଖବର ପ୍ରତ୍ୟେକ ଦିନ ଗଣମାଧ୍ୟମରେ ଦେଖିବାକୁ ମିଳୁଛି। ଏହା ବ୍ୟତୀତ ଏହି ତିନୋଟି ଦେଶରେ ଏହି ସମ୍ପ୍ରଦାୟର ହ୍ରାସ ପାଉଥିବା ଜନସଂଖ୍ୟାର ପରିସଂଖ୍ୟାନରୁ ମଧ୍ୟ ଏହା ସ୍ପଷ୍ଟ । ଧାର୍ମିକ ଭିତ୍ତିରେ ନିର୍ଯାତନା ଯୋଗୁଁ ଏହି ତିନୋଟି ଦେଶରେ ଏହି ସମ୍ପ୍ରଦାୟର ଜନସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ହିନ୍ଦୁ, ଶିଖ, ପାର୍ସୀ, ଖ୍ରୀଷ୍ଟିଆନ ଓ ବୌଦ୍ଧ ସମ୍ପ୍ରଦାୟକୁ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରାଯାଉଛି ନଚେତ୍ ହତ୍ୟା କରାଯାଉଛି। ତେଣୁ ନିଜର ସୁରକ୍ଷା ପାଇଁ ସେମାନେ ଭାରତକୁ ଆସୁଛନ୍ତି । ଏଭଳି ହଜାର ହଜାର ପରିବାର ଭାରତରେ ରହୁଛନ୍ତି, ଏବେ ଏହି ଆଇନ ଜରିଆରେ ସମସ୍ତଙ୍କୁ ନାଗରିକତା ତଥା ନାଗରିକର ଅଧିକାର ମିଳିବ ଏବଂ ଭାରତରେ ସେମାନେ ସମ୍ମାନର ସହ ବଞ୍ଚିପାରିବେ।


ତେବେ ଏ ଦିଗରେ ପଦକ୍ଷେପ ନୂଆ ନୁହେଁ ପୂର୍ବରୁ ମଧ୍ୟ ଏହି ନିର୍ଯାତିତ ଗୋଷ୍ଠୀଙ୍କ ପ୍ରସଙ୍ଗ ସଂସଦରେ ବିଭିନ୍ନ ସମୟରେ ଉଠାଯାଇଛି। ନେହେରୁଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ଏବଂ ଇନ୍ଦିରାଙ୍କ ସମୟରେ ମଧ୍ୟ ଏହା ଉଠିଥିଲା। ଅଟଳ ବିହାରୀଙ୍କ ସମୟରେ ମଧ୍ୟ ଏହି ପ୍ରସଙ୍ଗ ଉଠିଥିଲା। ପ୍ରତ୍ୟେକ ସରକାର ସହାନୁଭୂତିପୂର୍ଣ୍ଣ ବିଚାର ପରେ ଏକ ମାର୍ଗ ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହା ସଂସଦର ରେକର୍ଡରେ ମଧ୍ଯ ଉଲ୍ଲିଖିତ ରହିଛି , ହେଲେ ସେପରି କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇନଥିଲା। ଚଳିତ ସରକାରର ଦୃଢ଼ ଶକ୍ତି ଯୋଗୁଁ ଏହା ସମ୍ଭବ ହୋଇପାରିଛି।


ଏହି ନାଗରିକତା ସଂଶୋଧନ ଆଇନ (CAA) କୌଣସି ନୂଆ ଆଇନ୍ ନୁହେଁ ବରଂ ନାଗରିକତା ଆଇନ ୧୯୫୫ର ଏକ ସଂଶୋଧନ । ୧୯୫୫ ର ନାଗରିକତା ଆଇନ ରେ ଭାରତୀୟ ନାଗରିକତା ପାଇଁ ଯୋଗ୍ୟତା ନିର୍ଦ୍ଧାରଣ କରାଯାଇଛି, ଯେଉଁଥିରେ ଭାରତୀୟ ନାଗରିକ ହେବାକୁ ହେଲେ ଜଣେ ବ୍ୟକ୍ତି ଗତ ୧୪ ବର୍ଷ ମଧ୍ୟରୁ ୧୧ ବର୍ଷ ଭାରତରେ ରହିବା ଆବଶ୍ୟକ । ୨୦୧୯ରେ ଏହି ଆଇନରେ ସଂଶୋଧନ ଦ୍ୱାରା ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନର ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିଆନମାନଙ୍କ ପାଇଁ ଏହି ୧୧ ବର୍ଷର ଆବଶ୍ୟକତାକୁ ମାତ୍ର ୬ ବର୍ଷକୁ କୋହଳ କରାଯାଇଛି। ଅର୍ଥାତ୍ ଉପରୋକ୍ତ ଧର୍ମର ପ୍ରବାସୀମାନେ ଆବଶ୍ୟକ କାଗଜପତ୍ର ନଥିଲେ ମଧ୍ୟ ଭାରତୀୟ ନାଗରିକ ହେବାର ସୁଯୋଗ ପାଇବେ। ଏହାବ୍ୟତୀତ କାଗଜପତ୍ର ନଥିବାରୁ ସେମାନଙ୍କୁ ଦେଶାନ୍ତର କରାଯିବ ନାହିଁ। ୨୦୧୫ ଓ ୨୦୧୬ରେ କେନ୍ଦ୍ର ସରକାର ଦୁଇଟି ବିଜ୍ଞପ୍ତି ଜାରି କରି ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ତାନରୁ ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିଆନ ଯେଉଁମାନେ ୨୦୧୪ ଡିସେମ୍ବର ୩୧ କିମ୍ବା ଏହା ପୂର୍ବରୁ ଭାରତକୁ ଆସିଥିଲେ, ସେମାନଙ୍କୁ ନାଗରିକତା ପ୍ରଦାନ କରିଥିଲେ କାରଣ ସେମାନେ ସେଠାରୁ ନିର୍ଯାତନାର ଶିକାର ହୋଇ ଭାରତ ଆସିଥିଲେ। 


ସବୁ ଦିଗରୁ ଲକ୍ଷ୍ୟ କଲେ ନାଗରିକ ସଂଶୋଧନ ଆଇନ୍ (CAA) ନିର୍ଯାତିତ ଶରଣାର୍ଥୀ ମାନଙ୍କୁ ନାଗରିକତ୍ବ ପ୍ରଦାନ କରି ସମାଜର ମୁଖ୍ୟସ୍ରୋତରେ ସାମିଲ୍ କରିବାର ଏକ ମାଧ୍ୟମ। ଧାର୍ମିକ ଆଧାରରେ ନିର୍ଯାତିତଙ୍କୁ ମାନବିକତା ଦୃଷ୍ଟିରୁ ନାଗରିକତା ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହା ଦ୍ବାରା ଅନେକ ସଂଖ୍ୟାଲଘୁ ଶରଣାର୍ଥୀ ଉପକୃତ ହେବେ। ମାନବିକତା ଦୃଷ୍ଟିରୁ ସମସ୍ତଙ୍କୁ ନାଗରିକ ସଂଶୋଧନ ଆଇନ୍ (CAA) ଏବଂ ସରକାରଙ୍କ ଏହି ନିଷ୍ପତ୍ତିର ସମର୍ଥନ କରିବା ଆବଶ୍ୟକ।