ନାଗରିକତ୍ବ ସଂଶୋଧନ ଆଇନ୍(Citizenship Amendment Bill) କୁ ବିରୋଧ କାହିଁକି?


Citizenship Amendment bill (CAB) ତଥା ନାଗରିକତ୍ବ ସଂଶୋଧନ ଆଇନ୍ ଏପରି ଏକ ଆଇନ୍ ଯାହା ମାଧ୍ୟମରେ ପାକିସ୍ତାନ, ବାଂଲାଦେଶ ତଥା ଆଫାନିସ୍ତାନ ରୁ ଭାରତକୁ ଆସିଥିବା ୬ଟି ସଂଖ୍ୟାଲଘୁ ଧର୍ମ ର ବ୍ୟକ୍ତିଙ୍କୁ ନାଗରିକତ୍ବ ପ୍ରଦାନ କରାଯିବ।ଏହି ୬ ଟି ସଂଖ୍ୟାଲଘୁ ଧର୍ମ ହେଉଛି - ହିନ୍ଦୁ,ଶିଖ, ବୌଦ୍ଧ, ଜୈନ,ପାର୍ସୀ ଏବଂ ଖ୍ରୀଷ୍ଟ ଧର୍ମ। ଏହାକୁ ଉତ୍ତର ପୂର୍ବାଞ୍ଚଳ ବ୍ୟତୀତ ସମ୍ପୂର୍ଣ୍ଣ ଭାରତରେ ଲାଗୁ କରାଯାଇଛି।ଏହି ସଂଖ୍ୟାଲଘୁଙ୍କ ବ୍ୟତୀତ ଅନ୍ୟ ଧର୍ମର ବ୍ୟକ୍ତିଙ୍କ ପାଇଁ ପୂର୍ବପରି ଆଇନ୍ ଲାଗୁରହିବ। ପୂର୍ବରୁ ୧୧ ବର୍ଷ ପରେ ନାଗରିକତ୍ବ ପ୍ରଦାନ କରାଯାଉଥିବା ସ୍ଥଳେ CAB ମାଧ୍ୟମରେ ସଂଖ୍ୟାଲଘୁ ମାନଙ୍କୁ ୬ ବର୍ଷ ମଧ୍ୟରେ ଦେବାପାଇଁ ବ୍ୟବସ୍ଥା ରହିଛି। 

ଲୋକସଭାରେ ପାରିତ ହୋଇଥିବା CAB ସପକ୍ଷରେ ୩୧୧ ଭୋଟ୍ ଥିବା ସ୍ଥଳେ ବିପକ୍ଷରେ ୮୦ଟି ଭୋଟ ରହିଥିଲା। ଦେଶର ସୁରକ୍ଷା ତଥା ଅବହେଳିତ ଅତ୍ୟାଚାରିତ ସଂଖ୍ୟାଲଘୁ ଶରଣାର୍ଥୀ ମାନଂକ ସପକ୍ଷରେ କିଛି ଆଞ୍ଚଳିକ ଦଳ CABକୁ ସମର୍ଥନ କରିଥିଲେ। ଏବେ ପ୍ରଶ୍ନ ଉଠୁଛି CABକୁ ନେଇ ବିରୋଧଭାସ ସୃଷ୍ଟି ହେଉଛି କାହିଁକି? ସମ୍ପୂର୍ଣ୍ଣ ଉତ୍ତର ପୂର୍ବାଞ୍ଚଳରେ ଏହା ବିରୋଧରେ ସ୍ବର ଉଠୁଛି କାହିଁକି?

ଭାରତର ଉତ୍ତର ପୂର୍ବାଞ୍ଚଳ ତାର ସଂସ୍କୃତି, ଐତିହ୍ୟ, ଭାଷାଗତ ବିଶେଷତ୍ଵ ପାଇଁ ଭାରତର ଅନ୍ୟ ଅଞ୍ଚଳ ଠାରୁ ଭିନ୍ନ। ସେମାନଙ୍କ ମନରେ ଏକ ଭୟ ସୃଷ୍ଟି ହୋଇଛି ଯେ CAB ସେମାନଙ୍କ ବିଶେଷତା କୁ ପ୍ରଭାବିତ କରିବ। ଏ ଅଞ୍ଚଳ ଅନୁପ୍ରବେଶକାରୀ ମାନଂକ ଦ୍ଵାରା ପ୍ରଭାବିତ ତେଣୁ ଭାରତୀୟ ନାଗରିକତ୍ବ ପ୍ରଦାନ କୁ ନେଇ ସେମାନଙ୍କ ମନରେ ଭୟ ଉଠିବା ସ୍ଵାଭାବିକ।ଉତ୍ତର ପୂର୍ବାଞ୍ଚଳ ବିଶେଷ କରି ଆସାମ ରେ ଏକ ଭୁଲ୍ ଧାରଣା ସୃଷ୍ଟି କରାଯାଉଛି ଯେ ଏହି ନିୟମ Assam Accord ର ଉଲ୍ଲଂଘନ କରୁଛି। ୧୯୮୫ ରେ ହୋଇଥିବା ଏହି ନିୟମାନୁସାରେ ମାର୍ଚ୍ଚ ୨୪,୧୯୭୧ ପରଠାରୁ ଆସିଥବା ବିଦେଶୀ ମାନଙ୍କୁ ଭାରତରୁ ବାହାରକୁ ପଠାଇଦିଆଯିବ କିନ୍ତୁ CAB ମାଧ୍ୟମରେ ଶେଷ ତାରିଖ ଡିସେମ୍ବର ୩୧,୨୦୧୪ ତେଣୁ ନିଜ ସଂସ୍କୃତି ତଥା ଐତିହ୍ୟ କୁ ଭଲପାଉଥିବା ରୁ ସେମାନେ ଏହାକୁ ବିରୋଧ କରୁଛନ୍ତି। CAB ଉତ୍ତର ପୂର୍ବରାଜ୍ୟ ବ୍ୟତୀତ ଅନ୍ୟ ସ୍ଥାନରେ ଲାଗୁ ହୋଇଛି କିନ୍ତୁ କେନ୍ଦ୍ର ସରକାରଙ୍କୁ ଉତ୍ତର ପୂର୍ବାଞ୍ଚଳ ପାଇଁ କିଛି ସ୍ଥାୟୀ ସମାଧାନ ନେବା ଆବଶ୍ୟକ ଯାହାଦ୍ଵାରା ସେଠାର ମୂଳ ଅଧିବାସୀଙ୍କ ମନରେ ଥିବା ଦ୍ଵନ୍ଦ ଦୂର ହେବ ତଥା ତାଙ୍କର ମୂଳ ସଂସ୍କୃତି, ଐତିହ୍ୟ କ୍ଷୁର୍ଣ୍ଣ ହେବନାହିଁ।
CAB ରେ ଡିସେମ୍ବର ୩୧,୨୦୧୪ ପୂର୍ବରୁ ଆସିଥିବା ସଂଖ୍ୟାଲଘୁ ଶରଣାର୍ଥୀ ମାନଂକ ପାଇଁ ଏବଂ ଏଥିରେ ଉତ୍ତର ପୂର୍ବାଞ୍ଚଳ କୁ ସାମିଲ୍ କରାଯାଇନାହିଁ ଏବଂ NRC ମାଧ୍ୟମରେ ଅନୁପ୍ରବେଶକାରୀ ମାନଂକ ଚିହ୍ନଟ ପ୍ରକ୍ରିୟା ମଧ୍ୟ ଚାଲୁରହିଛି।ଉତ୍ତର ପୂର୍ବାଞ୍ଚଳରେ ଏହା ଲାଗୁ ହୋଇ ନାହିଁ ତଥା ସେଠାକୁ ଯିବାକୁ ହେଲେ Inner line permit (ILP) ଆବଶ୍ୟକ। ଏଣୁ ଉତ୍ତର ପୂର୍ବାଞ୍ଚଳ ବନ୍ଧୁମାନେ ଭୟଭୀତ ନ ହୋଇ ସହଯୋଗ କରିବା ଆବଶ୍ୟକ।

ବିରୋଧାଭାସ ର ଆଉ ଏକ ପ୍ରମୁଖ କାରଣ ହେଉଛି ମୁସଲିମ ଶରଣାର୍ଥୀ ମାନଙ୍କୁ ଏଥିରେ ସାମିଲ୍ ନ କରାଯିବା। ଏହି ୩ଟି ରାଷ୍ଟ୍ର ହେଉଛନ୍ତି ଇସଲାମିକ ରାଷ୍ଟ୍ର ତଥା ଏଠାରେ ମୁସଲିମ ମାନଂକ ପାଇଁ ବିଭିନ୍ନ ସୁବିଧା ସୁଯୋଗ ରହିଛି। ଏହା ଧର୍ମ ଆଧାରରେ ନୁହେଁ ବରଂ ସଂଖ୍ୟା ଆଧାରରେ ହୋଇଛି। 

ଭାରତୀୟ ଜାତୀୟ କଂଗ୍ରେସ,ସି ପି ଆଇ ପରି ନିର୍ଦ୍ଦିଷ୍ଟ କିଛି ରାଜନୈତିକ ଦଳ ବର୍ତ୍ତମାନ ସରକାର ରେ ଥିବା ଭାଜପା କୁ ହିନ୍ଦୁ ବିଚାରଧାରା ର ଦଳ କହିବା ସହ ଏହା ହିନ୍ଦୁ ମାନଙ୍କୁ ଫାଇଦା ଦେବ ଓ ଭାରତ ଧର୍ମନିରପେକ୍ଷ ହେବା ସ୍ଥଳେ ଏସବୁ ଧାର୍ମଭିତ୍ତିକ ବୋଲି ଦାବି କରୁଛନ୍ତି। ସେମାନେ ବୁଝିରଖିବା ଦରକାର ଭାରତର ବିଭାଜନ ଧର୍ମଭିତ୍ତିରେ ହୋଇଥିଲା ଏବଂ ବିଭାଜନ ସମୟରେ ହୋଇଥିବା ନେହେରୁ - ଲିଆକତ୍ ଚୁକ୍ତି ଅନୁଯାୟୀ ଉଭୟ ଦେଶ ସଂଖ୍ୟାଲଘୁ ମାନଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ ଥିଲେ। ଭାରତ ଏହି ଚୁକ୍ତି ଅନୁସାରେ ନିୟମ ଲାଗୁ କରିବା ବେଳେ ପାକିସ୍ତାନ ଏହାକୁ ଗ୍ରହଣ କରିନଥିଲା। ପାକିସ୍ତାନ ସ୍ଵାଧୀନ ସମୟରେ ସର୍ବାଧିକ ୨୨% ସଂଖ୍ୟାଲଘୁ ହିନ୍ଦୁ ଧର୍ମର ଥିଲେ କିନ୍ତୁ ବର୍ତ୍ତମାନ ତାହା ୭% ରେ ଆସି ପହଞ୍ଚିଛି। ସେହିପରି ବାଂଲାଦେଶ ସ୍ଵାଧୀନତା ସମୟରେ ସର୍ବାଧିକ ୧୩.୫% ସଂଖ୍ୟାଲଘୁ ହିନ୍ଦୁ ଥିବାବେଳେ ଏବେ ଏହା ୮.୫% ରେ ପହଞ୍ଚିଛି। ଏହି ଦେଶଗୁଡ଼ିକ ରେ ସରକାରୀ ବ୍ୟବସ୍ଥା ତଥା ବିଭିନ୍ନ ଆତଙ୍କବାଦୀ ଗୋଷ୍ଠୀ ମାନଙ୍କ ଦ୍ଵାରା ଅକଥନୀୟ ଅତ୍ୟାଚାର କରାଯାଉଛି। ଆଫଗାନିସ୍ତାନ ରେ ୧% ରୁ କମ୍ ଥିବା ବୌଦ୍ଧ ତଥା ହିନ୍ଦୁ ଧର୍ମାବଲମ୍ବୀ ମାନଂକ ଉପରେ ତାଲିବାନ୍ ତଥା ଅନ୍ୟାନ୍ୟ ଆତଙ୍କବାଦୀ ମାନଙ୍କ ଦ୍ଵାରା ସବୁବେଳେ ଆକ୍ରମଣ କରାଯାଉଛି। ଏହି ଇସଲାମିକ ରାଷ୍ଟ୍ର ଗୁଡ଼ିକର ନିୟମ ଏପରି ଯେ ମୁସଲିମ ବ୍ୟତୀତ ଅନ୍ୟ ଧର୍ମ ସବୁବେଳେ ଦଳିତ ତଥା ଅବହେଳିତ। ଏହା କେବଳ ହିନ୍ଦୁ ଧର୍ମାବଲମ୍ବୀ ମାନଂକ ପାଇଁ ହୋଇଥିବା କହୁଥିବା ବ୍ୟକ୍ତି ଜାଣି ଜରୁରୀ କେବଳ ହିନ୍ଦୁ ଧର୍ମ ନୁହେଁ ଅନ୍ୟ ସଂଖ୍ୟାଲଘୁ ଧର୍ମ କୁ ମଧ୍ୟ ଏଥିରେ ସାମିଲ କରାଯାଇଛି। 

ନିଜର ବିରୋଧାଭାସ କୁ ଠିକ୍ ବୋଲି ଦର୍ଶାଇବା ପାଇଁ ବିରୋଧୀ ମାନେ ସମ୍ବିଧାନର ଅନୁଛେଦ ୧୪,୧୫ କଥା ଉଠାଉଛନ୍ତି। ସେମାନେ ଜାଣିରଖିବା ଉଚିତ୍ ତାହା ଭାରତୀୟ ନାଗରିକଙ୍କ ନିମନ୍ତେ ଉଦ୍ଦିଷ୍ଟ ଶରଣାର୍ଥୀ କିମ୍ବା ଅନୁପ୍ରବେଶକାରୀ ମାନଂକ ପାଇଁ ନୁହେଁ। ଗୃହମନ୍ତ୍ରୀ ଅମିତ୍ ଶାହା ମଧ୍ୟ ତାଙ୍କ ବୟାନରେ କହିଛନ୍ତି ଅନୁଛେଦ୍ ୧୪ ଥିବା ସତ୍ତ୍ବେ ମଧ୍ୟ ଦେଶରେ ସଂଖ୍ୟାଲଘୁଙ୍କ ପାଇଁ  କିପରି ବିଶେଷ ନିୟମ ରହିଛି,ତେଣୁ ଏହା କଦାପି ସମ୍ବିଧାନର ବିରୁଦ୍ଧାଚରଣ କରିନାହିଁ। 

USCIRF ତଥା ଅନ୍ୟାନ୍ୟ ବୈଦେଶିକ ରାଷ୍ଟ୍ର ଭାରତର ଏହି ଆଇନକୁ ବିରୋଧ କରିବା ସହ ଏହା ଭାରତ ର ଭୁଲ୍ ନିଷ୍ପତ୍ତି ବୋଲି କହୁଛନ୍ତି,ସେମାନେ ବୁଝିରଖିବା ଜରୁରୀ ଏହା ଭାରତର ଅନ୍ତରୀଣ ବ୍ୟାପାର ଏଥିରେ ଅନ୍ୟ ରାଷ୍ଟ୍ର ହସ୍ତକ୍ଷେପ କରିବା ଆଦୋୖ ଗ୍ରହଣୀୟ ନୁହେଁ।

ପୂର୍ବରୁ ମହାତ୍ମା ଗାନ୍ଧୀ,ପି ସୀଟାରାମୟା, ଜବାହରଲାଲ ନେହେରୁ, ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ, ଆବୁଲ୍ କାଲମ୍ ଆଜାଦ୍, ଏଚ୍ ଏନ ମୁଖାର୍ଜୀ(ସି ପି ଆଇ), ତ୍ରିଦେବ କୁମାର ଚୌଧୁରୀ,ରାମ ମନୋହର ଲୋହିଆ, ଇନ୍ଦର୍ କୁମାର ଗୁଜରାଲ୍,ଇନ୍ଦିରା ଗାନ୍ଧୀଙ୍କ ପରି ରାଜନୈତିକ ବ୍ୟକ୍ତି ପୂର୍ବରୁ ହିନ୍ଦୁ ଶରଣାର୍ଥୀ ତଥା ସଂଖ୍ୟାଲଘୁ ମାନଂକ ନାଗରିକତ୍ବ ତଥା ବିଶେଷ ସୁବିଧା ସୁଯୋଗ ପାଇଁ କହିଥିଲେ ହେଁ ନିଜକୁ ତାଙ୍କ ଅନୁଗାମୀ ତଥା ବିଚାରଧାରା ରେ ଉଦବୁଦ୍ଧ ବୋଲି ପରିଚୟ ଦେଉଥିବା ରାଜନେତା ଏହାକୁ ବିରୋଧ କରିବା ଦୁର୍ଭାଗ୍ୟପୂର୍ଣ୍ଣ। 

ବିଜୁ ଜନତା ଦଳ,  AIADMK ପରି କିଛି ରାଜନୈତିକ ଦଳ ଏହାକୁ ସମର୍ଥନ କରିଥିଲେ ହେଁ ଶ୍ରୀଲଙ୍କା,ନେପାଳ,ବର୍ମା ଏବଂ ଚାଇନା ର ଶରଣାର୍ଥୀ ମାନଙ୍କୁ ଅନ୍ତର୍ଭୁକ୍ତ କରିବାକୁ ଦାବି ରଖିଛନ୍ତି। ସେମାନେ ବୁଝିରଖିବା ଆବଶ୍ୟକ ଯେ ଏହା ଯେଉଁ ଗୁଡ଼ିକ ଇସଲାମିକ ରାଷ୍ଟ୍ର କେବଳ ତାର ସଂଖ୍ୟାଲଘୁ ମାନଂକ ପାଇଁ ଲାଗୁ କରାଯାଇଛି ଏଗୁଡ଼ିକ ଧର୍ମନିରପେକ୍ଷ ରାଷ୍ଟ୍ର ହୋଇଥିବାରୁ ଏସବୁ ରାଷ୍ଟ୍ର ପାଇଁ ଲାଗୁ ହୋଇନାହିଁ। 

ସର୍ବୋପରି ଦେଖିବାକୁ ଗଲେ CAB ପରି ସଂଶୋଧନ ଆଇନ୍ ଅବହେଳିତ ଦଳିତ ଶରଣାର୍ଥୀ ମାନଙ୍କୁ ନାଗରିକତ୍ବ ପ୍ରଦାନ କରି ସମାଜର ମୁଖ୍ୟସ୍ରୋତରେ ସାମିଲ୍ କରିବାର ଏକ ମାଧ୍ୟମ। ଏହା ଦ୍ବାରା ଅନେକ ସଂଖ୍ୟାଲଘୁ ଶରଣାର୍ଥୀ ଉପକୃତ ହେବେ। ରାଜନୈତିକ ଦ୍ୱେଷ ନ ରଖି ସମସ୍ତଙ୍କୁ ଏହାର ସମର୍ଥନ ଦିଗରେ ଆଗେଇ ଆସିବାକୁ ପଡ଼ିବ।